ଗଠନର ପୃଷ୍ଠଭୂମି ଓ କାର୍ଯ୍ୟଧାରା

ଅପାସୋରା ସ୍ମୃତିର ଅନନ୍ୟ ଅନୁଷ୍ଠାନ: ନୃସିଂହ ଗୁରୁ ସ୍ମୃତି ସମିତି
ସ୍ୱର୍ଗତ ନୃସିଂହ ଗୁରୁଙ୍କ ସ୍ମୃତିର ସଂପ୍ରଚାର ଓ ସଂରକ୍ଷଣ ଉଦ୍ଦେଶ୍ୟରେ ତାଙ୍କର ଠିକ ଦେହାନ୍ତ ପରେ ପରେ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ସ୍ୱର୍ଗତ ପ୍ରଫେସର ପ୍ରଫୁଲ୍ଲ କୁମାର ପତିଙ୍କ ଅଧ୍ୟକ୍ଷତାରେ ୧୯୮୪ ମସିହାରେ ଆତ୍ମପ୍ରକାଶ କଲା ‘ନୃସିଂହ ଗୁରୁ ସ୍ମୃତି ସମିତି’ । ୨୦୦୬ ମସିହାରେ ପ୍ରଫେସର ପତିଙ୍କ ବିୟୋଗ ପରଠାରୁ ଅଦ୍ୟାବଧି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢୀ ଓ ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ଏହି ଅନୁଷ୍ଠାନର ଯଥାକ୍ରମେ ଅଧ୍ୟକ୍ଷ ଓ ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଏହି ସମିତି ପ୍ରତ୍ୟେକ ବର୍ଷ ସ୍ୱର୍ଗତ ଗୁରୁଙ୍କ ଜୟନ୍ତୀ ଓ ଶ୍ରାଦ୍ଧ ଦିବସ ପାଳନ କରିବା ସହିତ ବିଭିନ୍ନ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ ସାଂପ୍ରତିକ ବିଷୟବସ୍ତୁ, କଳା, ସାହିତ୍ୟ, ସଂସ୍କୃତି ପ୍ରଭୃତି ସମ୍ବନ୍ଧରେ ସଭା, ସଂଗୋଷ୍ଠୀ, ଆଲୋଚନାଚକ୍ର, କର୍ମଶାଳା ଇତ୍ୟାଦିର ଆୟୋଜନ କରିଆସୁଛି । ସେହିପରି ନୃସିଂହ ଗୁରୁଙ୍କ ଜୀବନର ବିବିଧ ଦିଗ ସଂପର୍କରେ ପ୍ରେରଣାପ୍ରଦ ଅବଗତି ନିମନ୍ତେ ଏହି ସମିତି ବିଦ୍ୟାଳୟ- ମହାବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତାମାନ ଆୟୋଜିତ କରିଥାଏ । ଅଧିକନ୍ତୁ ଏହି ସମିତି ସ୍ୱାସ୍ଥ୍ୟ ଶିବିର, ବୃକ୍ଷରୋପଣ, ସମ୍ବର୍ଦ୍ଧନା ସଭା ସହିତ ବିଭିନ୍ନ ଜନମଙ୍ଗଳକାରୀ କାର୍ଯ୍ୟକ୍ରମ ବର୍ଷର ଭିନ୍ନ ଭିନ୍ନ ସମୟରେ ଆୟୋଜନ କରିଆସୁଅଛି ।

ଶତ-ବାର୍ଷିକୀର ଶତଧନ୍ୟ ସମାରୋହ: ସ୍ମୃତିର ସ୍ୱର୍ଣ୍ଣହାର
୨୦୦୨ ମସିହାରୁ ୨୦୦୩- ଏହି ବର୍ଷବ୍ୟାପୀ ନୃସିଂହ ଗୁରୁଙ୍କ ଜନ୍ମ ଶତବାର୍ଷିକ ଉତ୍ସବ ସମଗ୍ର ରାଜ୍ୟରେ ପାଳିତ ହୋଇଥିଲା । ଓଡିଶା ବିଧାନସଭାର ତତ୍କାଳୀନ ବାଚସ୍ପତି ଶ୍ରୀ ଶରତ କୁମାର କର ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଦ୍‌ଯାପନ ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଦେବଗଡ ଠାରେ ଆୟୋଜିତ ଶତବାର୍ଷିକ-ସମାରୋହରେ ଓଡିଶାର ତତ୍କାଳୀନ ରାଜ୍ୟପାଳ ଶ୍ରୀ ଏମ୍‌.ଏମ୍‌.ରାଜେନ୍ଦ୍ରନ ମୁଖ୍ୟଅତିଥି ଭାବରେ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏତଦ୍‌ବ୍ୟତୀତ ଅନେକ ମନ୍ତ୍ରୀ, ବିଧାୟକ, ସାଂସଦ, ପ୍ରବୀଣ ଶିକ୍ଷାବିତ, ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ବିଭିନ୍ନ ସ୍ଥାନ ମାନଙ୍କରେ ପାଳିତ ଏହି ଶତବାର୍ଷିକ ମହୋତ୍ସବରେ ଯୋଗଦେଇ ସ୍ୱର୍ଗତ ନୃସିଂହ ଗୁରୁଙ୍କ ଅମ୍ଳାନ ସ୍ମୃତିପ୍ରତି ଗଭୀର ଶ୍ରଦ୍ଧା ଓ ସମ୍ମାନ ଅର୍ପଣ କରିଥିଲେ ।

ରଚନାର ରାଜରାସ୍ତା:ଗୌରବମୟ-ଗୁରୁ ସ୍ମୃତିର ସ୍ୱର୍ଣ୍ଣିମ-ବର୍ଣ୍ଣୋଭାସ
ନୃସିଂହ ଗୁରୁ ସ୍ମୃତି ସମିତି ଆନୁକୂଲ୍ୟରେ ପ୍ରସିଦ୍ଧ ଐତିହାସିକ ଡକ୍ଟର ଯଜ୍ଞ କୁମାର ସାହୁଙ୍କ ଲିଖିତ ‘ସମ୍ବଲପୁରରେ ସ୍ୱାଧୀନତା ସଂଗ୍ରାମ ଓ ନୃସିଂହ ଗୁରୁଙ୍କ ଭୂମିକା’ ଶୀର୍ଷକ ଓଡିଆ ପୁସ୍ତକ, ପ୍ରଫେସର୍ ବଳରାମ ଦାଶଙ୍କ ରଚିତ ‘ପଶ୍ଚିମ ଓଡିଶାର ମହାତ୍ମା ଗାନ୍ଧୀ’ ବିଷୟକ ହିନ୍ଦୀ ପୁସ୍ତକ ପ୍ରକାଶିତ ହୋଇଥିବା ବେଳେ ନୃସିଂହ ଗୁରୁ ଜୟନ୍ତୀ ଶତବାର୍ଷିକୀ କମିଟି ପକ୍ଷରୁ ସଂସ୍କୃତ ପ୍ରାଧ୍ୟାପକ ଡକ୍ଟର ନିରଞ୍ଜନ ପତିଙ୍କ ରଚିତ ‘ନୃସିଂହ ସ୍ମୃତି ଶତକମ୍‌’ ନାମକ ସଂସ୍କୃତ ପୁସ୍ତକ ପ୍ରକାଶିତ ହୋଇଅଛି । ସେହିପରି ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବିଦ୍ୟାବାଚସ୍ପତି ଡକ୍ଟର ଶ୍ରୀନିବାସ ଉଦ୍‌ଗାତାଙ୍କ ରଚିତ ହିନ୍ଦୀ ଭାଷାର ପୁସ୍ତକ ‘ଓଡିଶା କେ ଗାନ୍ଧୀ:ନୃସିଂହ ଗୁରୁ’ ଓ ପ୍ରଫେସର ଡକ୍ଟର ଗିରିଧାରୀ ପ୍ରସାଦ ଗୁରୁଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ଦି ଗୁରୁ ଆଣ୍ଡ ଦି ମହାତ୍ମା’ ପୁସ୍ତକକୁ ମଧ୍ୟ ସ୍ମୃତି ସମିତି ପ୍ରକାଶ କରିଛି।