ନୃସିଂହ ଗୁରୁ: ପଶ୍ଚିମ ଓଡ଼ିଶାର ଗାନ୍ଧୀ

୨୪.୦୩.୧୯୦୨ – ୦୨.୦୧.୧୯୮୪
'ଗୁଣର' ରୁଣା ଚାରୁଚନ୍ଦ୍ର:ଗୁରୁପାଲିର ଗୁରୁ
‘ପଶ୍ଚିମ ଓଡିଶାର ଗାନ୍ଧୀ’ ଭାବେ ଜଣାଶୁଣା ନୃସିଂହ ଗୁରୁ ଏକାଧାରରେ ଥିଲେ ଜଣେ ସମର୍ଥ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଖାଣ୍ଟି ଗାନ୍ଧିବାଦୀ ଓ ଉଚ୍ଚକୋଟିର ସାମ୍ବାଦିକ । ୧୯୦୨ ମସିହା ମାର୍ଚ୍ଚ ୨୪ ତାରିଖ ଫାଲଗୁନ ପୂର୍ଣ୍ଣିମା ତିଥିରେ ଏହି ମହାନ ପ୍ରତିଭାଧର ସମ୍ବଲପୁରର ଶାସନ ଥାନା ଅନ୍ତର୍ଗତ ଏକ ନିପଟ ମଫସଲ ଗାଁ ‘ଗୁରୁପାଲି’ ଠାରେ ଜନ୍ମଗ୍ରଣ କରିଥିଲେ ଏବଂ ୧୯୮୪ ମସିହା ଜାନୁଆରୀ ୨ ତାରିଖ ବକୁଳ ଅମାବାସ୍ୟା ତିଥିରେ ଇହଲୀଳା ସମ୍ବରଣ କରିଥିଲେ । ସେ ଜୀବାନାବଧି କାହାରିଠାରୁ କିଛି ନେବାର ମାନସିକତା ତିଳେ ସୁଦ୍ଧା ରଖି ନ ଥିଲେ; ବରଂ ମାନବ ସମାଜକୁ କେବଳ ମାତ୍ର ଦେବା ହିଁ ତାଙ୍କର ବ୍ରତ ଥିଲା । ସେ କଦାପି ଯଶପଛରେ ଦଉଡି ନ ଥିଲେ ବରଂ ଯଶ ଓ କୀର୍ତ୍ତି ସ୍ୱତଃ ତାଙ୍କ ଉଚ୍ଚାଙ୍ଗ-ପ୍ରତିଭାର ଅନୁସରଣ କରିଥିଲେ ।

ଚିତ୍ର ଓ ଚରିତ୍ର: ଖଦିରେ ଖୁସି
ଗାନ୍ଧିବାଦର ଗଭୀର ଦର୍ଶନରେ ଅନୁପ୍ରାଣୀତ ହୋଇ ସ୍ୱର୍ଗତ ଗୁରୁ ପାର୍ଥିବ ବସ୍ତୁବାଦର ଆସକ୍ତିଠାରୁ ଯଥେଷ୍ଟ ଦୂରରେ ଥିଲେ । ମହାତ୍ମା ଗାନ୍ଧୀଙ୍କ ଜନୈକ ଶୃଙ୍ଖଳିତ ଶିଷ୍ୟ ହେବାର ନିଷ୍ପତ୍ତି ନେବା କ୍ଷଣି, ସେ ଖଦଡ ଧୋତି ଓ ଚାଦର ପିନ୍ଧିବାକୁ ଆରମ୍ଭ କରିଥିଲେ । ତାଙ୍କ ଦେହରେ ଆଣ୍ଠୁ ଲୋଚା ଧୋତି ଓ ଛାତିରେ ଖଦଡ ଚାଦର ରହିଥିବାବେଳେ ବାମ କାନ୍ଧରେ ଖଦି ମୁଣିଟିଏ ସବୁବେଳେ ଝୁଲୁଥିଲା । ଗାନ୍ଧିଜୀଙ୍କ ସ୍ୱଦେଶୀ ନିୟମର ନିଷ୍ଠାପର ଅନୁପାଳନକାରୀ ଭାବରେ ସେ ବିଦେଶରୁ ଆମଦାନୀ ହେଉଥିବା ଚିନି ନ ଖାଇ ଆଖୁରୁ ପ୍ରସ୍ତୁତ ଦେଶୀ ଗୁଡ଼ ଖାଇବା, ଯନ୍ତ୍ର ନିର୍ମିତ ଛତା ପରିବର୍ତ୍ତେ ତାଳପତ୍ର ଛତା ବ୍ୟବହାର କରିବା, ବିନା ଜୋତା-ଚପଲରେ ଖରା ବର୍ଷା ଶୀତ ନିର୍ବିଶେଷରେ ସବୁ ଋତୁରେ ଖାଲି ପାଦରେ ଯାତ୍ରା କରିବାର କଠିନ ବ୍ରତକୁ ସାରାଜୀବନ ଆପଣେଇଥିଲେ ।

ଜାତୀୟତାବାଦର ସଂକଳ୍ପ ଓ ସଂଘର୍ଷ: ନିଃସ୍ୱାର୍ଥରେ ବିଶ୍ୱାର୍ଥ ଦ୍ରଷ୍ଟା
ପ୍ରାଥମିକ ଶିକ୍ଷାଗ୍ରହଣ ସମୟରୁ ସେ ଭାରତର ଜାତୀୟତାବାଦୀ ଆନ୍ଦୋଳନ ଦ୍ୱାରା ବେଶ ପ୍ରଭାବିତ ହୋଇଥିଲେ । ୧୯୨୧ ମସିହାରେ ତାଙ୍କ ଭିତରେ ଜାତୀୟତାବାଦର ସ୍ଫୁଲିଙ୍ଗ ସର୍ବପ୍ରଥମେ ଉଦ୍ଭାସିତ ହୋଇଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ପ୍ରଭାବିତ ହୋଇ ସ୍ୱର୍ଗତ ଗୁରୁ ଛାତ୍ରାବସ୍ଥାରୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ତାଙ୍କ ନେତୃତ୍ୱରେ ସମ୍ବଲପୁର ଜିଲ୍ଲା ସ୍କୁଲର ଛାତ୍ରମାନେ ଇଂରେଜ ଶାସନାଧୀନ ବିଦ୍ୟାଳୟକୁ ବର୍ଜନ କରିଥିଲେ । ଏହି ଘଟଣା ସେ ସମୟରେ ବହୁ ଜାତୀୟ ସମ୍ବାଦପତ୍ର ମାନଙ୍କର ମୁଖ୍ୟ ସମ୍ବାଦ ରୂପେ ପ୍ରଥମ ପୃଷ୍ଠା ମଣ୍ଡନ କରିବା ସହିତ ମହାତ୍ମା ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ନିଜ ଶିକ୍ଷାଗତ ଜୀବନଧାରାର ସମସ୍ତ ଚିନ୍ତା ଓ ପାରିବାରିକ ସୁଖ ସ୍ୱାଚ୍ଛନ୍ଦ୍ୟକୁ ଦୂରକୁ ଠେଲି ଦେଇ ଦେଶର ସ୍ୱାଧୀନତା ନିମନ୍ତେ ଏକାଗ୍ରତା ତଥା ନିଷ୍ଠାର ସହିତ ଆପ୍ରାଣ ଚେଷ୍ଟା କରିଥିଲେ । ସେ ଚାହିଁଥିଲେ ହୁଏତ ଜଣେ ସୁଖୀ ଗୃହସ୍ଥର ଜୀବନ ବଞ୍ଚି ପାରିଥାନ୍ତେ; ମାତ୍ର ସେ ତାହା କରି ନ ଥିଲେ । ଦେଶମାତୃକାର ସ୍ୱାଧୀନତାପ୍ରାପ୍ତି ଥିଲା ତାଙ୍କର ସର୍ବୋଚ୍ଚ ଲକ୍ଷ୍ୟ; ଯାହା ପାଇଁ ସେ ନିଜ ଜୀବନର ସର୍ବସ୍ୱ ତ୍ୟାଗ କରିଥିଲେ । ବିଦ୍ୟାଳୟ ବର୍ଜନରୁ ବିରତ ରହି ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ସେ ତାଙ୍କର ଅନ୍ୟ ସହପାଠୀଙ୍କ ଭଳି ଏକ ଉଚ୍ଚ ପଦବୀରେ ନିଯୁକ୍ତି ପାଇପାରିଥାନ୍ତେ ନିଶ୍ଚୟ, ଯାହା କେବଳ ତାଙ୍କର ସ୍ୱଦେଶ ଚିନ୍ତା ଯୋଗୁଁ ସମ୍ଭବ ହୋଇ ପାରି ନ ଥିଲା ।

ଦୃଷ୍ଟି ଓ ଦୀକ୍ଷାର ଦେହଳୀ: ଗାନ୍ଧୀଦର୍ଶନର ସ୍ପର୍ଶ ଓ ହର୍ଷର ବର୍ଷୁକ ଶ୍ରାବଣ
୧୯୨୮ ମସିହାରେ ଗାନ୍ଧୀଜୀଙ୍କ ସମ୍ବଲପୁର ଆଗମନ କାଳରେ ସ୍ୱର୍ଗତ ଗୁରୁଙ୍କ ଉପରେ ମହାତ୍ମାଙ୍କ ଯାତ୍ରାକାଳୀନ ସୁବିଧା ସହେଯାଗର ଦାୟିତ୍ୱ ନ୍ୟସ୍ତ ହୋଇଥିଲା; ଯାହାର ଫଳ ସ୍ୱରୂପ ସେ ଗାନ୍ଧୀଜୀଙ୍କ ଅନ୍ତରଙ୍ଗ ହେବା ସଙ୍ଗେ ସଙ୍ଗେ ବେଶ୍ ପ୍ରଭାବିତ ହୋଇ ପାରିଥିଲେ । ତା ପରଠାରୁ ଜୀବନର ପ୍ରତିକ୍ଷେତ୍ରରେ ସେ ଗାନ୍ଧୀଜୀଙ୍କ ଆଦର୍ଶ ଓ ଆହ୍ୱାନରେ ଦୀକ୍ଷିତ ହେବାକୁ ନିଷ୍ପତ୍ତି ଗ୍ରଗଣ କରିଥିଲେ । କାୟ-ମନୋ-ବାକ୍ୟରେ ସତ୍ୟ ଓ ଅହିଂସାକୁ ପ୍ରତିଫଳିତ କରି ସେ ଜୀବନର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ହରିଜନ ଉନ୍ନୟନ: ସମର୍ଥ ସାରଥୀ
ସ୍ୱର୍ଗତ ଗୁରୁ ଅବିଶ୍ରାନ୍ତ ଧାରାରେ ଅସ୍ପୃଶ୍ୟତାର ଶରବ୍ୟ ହେଉଥିବା ହରିଜନମାନଙ୍କ ଉନ୍ନତି ନିମନ୍ତେ ତତ୍ପର ରହି ବହୁ କାର୍ଯ୍ୟ କରିଥିଲେ । ସେ ଜିଲ୍ଲା ହରିଜନ ସେବକ ସଂଘର ସକ୍ରିୟ ସଦସ୍ୟ ରହି ଅସ୍ପୃଶ୍ୟତା ବିରୋଧରେ ଆନ୍ଦୋଳନ ଚଳାଇଥିଲେ । ତାଙ୍କର ଦକ୍ଷ ନେତୃତ୍ୱରେ ସମ୍ବଲପୁରରେ ହରିଜନ ଆନ୍ଦୋଳନ ଏତେ ପ୍ରଭାବୀ ଓ ତୀବ୍ର ହୋଇଥିଲା ଯେ ତାହା ହରିଜନ ଆନ୍ଦୋଳନର ଜାତୀୟ ନେତା ଅମ୍ରିତଲାଲ ଭି ଠକ୍କରଙ୍କୁ ୧୯୩୩ ମସିହାରେ ସମ୍ବଲପୁର ଆସିବାକୁ ପ୍ରେରିତ କରିଥିଲା । ଠକ୍କର ମହାଶୟ ଏହି ଆନ୍ଦୋଳନର ଅଭୂତପୂର୍ବ ଅଗ୍ରଗତିରେ ଉତ୍ସାହିତ ହୋଇ ହରିଜନ ଉନ୍ନୟନରେ ସ୍ୱର୍ଗତ ଗୁରୁଙ୍କ ନିଃସ୍ୱାର୍ଥପର କାର୍ଯ୍ୟଧାରା ସମ୍ପର୍କରେ ଗାନ୍ଧୀଜୀଙ୍କୁ ଅବଗତ କରାଇବା ସହିତ ସମ୍ବଲପୁର ଯାତ୍ରା କରିବାକୁ ବହୁ ଭାବରେ ପ୍ରଚୋଦିତ କରିଥିଲେ । ଫଳସ୍ୱରୂପ ମହାତ୍ମା ଗାନ୍ଧୀ ୧୯୩୪ ମସିହାରେ ସମ୍ବଲପୁର ସହର ଅନ୍ତର୍ଗତ ଠେଲକୋପଡାର ହରିଜନ ବସ୍ତିକୁ ଗସ୍ତରେ ଆସି ସ୍ୱର୍ଗତ ନୃସିଂହ ଗୁରୁଙ୍କ ଯତ୍ପରୋନାସ୍ତି ଉଦ୍ୟମ ଓ ନିଷ୍ଠା ଦେଖି ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ । ସେହି ସଂସ୍କାରକ ସ୍ୱର୍ଗତ ଗୁରୁ ଏକ ହରିଜନ ଛାତ୍ରାବାସର ଅଧୀକ୍ଷକ ରହି ଅନ୍ତେବାସୀମାନଙ୍କୁ ସବୁ ମତେ ସାହାଯ୍ୟ ସହଯୋଗ କରିଥିଲେ । ଜଣେ ରକ୍ଷଣଶୀଳ ତଥା ଖାଣ୍ଟି ବ୍ରାହ୍ମଣ ପରିବାରର ସଦସ୍ୟ ହୋଇଥିଲେ ସୁଦ୍ଧା ସ୍ୱର୍ଗତ ଗୁରୁ ପ୍ରତିବର୍ଷ ନିଜ ପିତୃଶ୍ରାଦ୍ଧରେ ସେହି ହରିଜନ ଛାତ୍ରାବାସର ଅନ୍ତେବାସୀ ମାନଙ୍କୁ ଘରକୁ ନିମନ୍ତ୍ରିତ କରି ଭୋଜନ ଦେଉଥିଲେ । ସେହି ଅନ୍ତେବାସୀ ମାନଙ୍କ ମଧ୍ୟରୁ ଅନେକ ସ୍ୱାଧୀନତା ପରେ ବହୁ ଗୁରୁତ୍ୱପୂର୍ଣ୍ଣ ଉଚ୍ଚପଦରେ ଅଧିଷ୍ଠିତ ହୋଇ ପାରିଥିଲେ । ଏପରି କି ତାଙ୍କ ମଧ୍ୟରୁ ଜଣେ ଓଡିଶାର କ୍ୟାବିନେଟ ମନ୍ତ୍ରୀ ହେବା ସଙ୍ଗେ ସଙ୍ଗେ ଅନ୍ୟ ଜେତେଜଣ ଉଚ୍ଚ ସରକାରୀ ପଦବୀରେ ଅଧିଷ୍ଠିତ ହୋଇପାରିଥିଲେ । ସମାଜ-ସୁଧାରକ ସ୍ୱର୍ଗତ ଗୁରୁଙ୍କ ମାନବିକ ସେବା ପ୍ରବଣତା ତଥା ନିର୍ବିକାର ସଂସ୍କାରପ୍ରାଣତାର ଏହା ଥିଲା ପରିଚାୟକ ।

ସ୍ୱାଧୀନତା ସଂଗ୍ରାମ: ସାଲିସବିହୀନ ସେନାନୀ
୧୯୪୨ ମସିହାର ଭାରତଛାଡ ଆନ୍ଦୋଳନ ସମୟରେ ମିଥ୍ୟା ଅଭିଯୋଗରେ ନୃସିଂହ ଗୁରୁଙ୍କୁ ଜାତୀୟ ନିରାପତ୍ତା ଆଇନ ବଳରେ ଗିରଫ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ସେ ସବୁ ଅଭିଯୋଗ ଅନୂଳକ-ଅଯଥାର୍ଥ-ଅବାସ୍ତବ ବୋଲି ପ୍ରମାଣିତ ହୋଇଥିଲା । ଗିରଫ ହେବା ସମୟରେ ତାଙ୍କର ଛଅ ବର୍ଷର ଝିଅ ଦୀନେଶ୍ୱରୀ ପ୍ରବଳ ଜ୍ୱରରେ ପୀଡିତା ଥିବାରୁ ଜନସାଧାରଣ ତାଙ୍କୁ ଇଂରେଜ କର୍ତ୍ତୃପକ୍ଷଙ୍କ ଠାରୁ ପେରୋଲ୍‌ରେ ଏକ ମାସର ସମୟ ଆଣି ଝିଅକୁ ସଠିକ ଚିକିତ୍ସା ଯୋଗାଇବାକୁ ପ୍ରବର୍ତ୍ତାଇଥିଲେ । ତେବେ ସେ ଏହାକୁ ରୋକ୍‌ଠୋକ୍ ପ୍ରତ୍ୟାଖ୍ୟାନ କରି ଈଶ୍ୱରଙ୍କ ଉପରେ ଆସ୍ଥା ରଖି କାରାବରଣ କରିଥିଲେ । ପରେ ପରେ ତାଙ୍କ ସାନଭାଇ ଦୁର୍ଗାପ୍ରସାଦ ଗୁରୁ ମଧ୍ୟ ଗିରଫ ହୋଇଥିଲେ ଓ ସେହି ଜ୍ୱରାକ୍ରାନ୍ତ କନ୍ୟା ଉପଯୁକ୍ତ ଚିକିତ୍ସା ଅଭାବରୁ ତିନିଦିନ ପରେ ମୃତ୍ୟୁମୁଖରେ ପଡିଥିଲା । ସ୍ୱର୍ଗତ ଗୁରୁ କିଛି ବର୍ଷ ପାଇଁ ସମ୍ବଲପୁର ପୌର ପରିଷଦ କାର୍ଯ୍ୟାଳୟରେ ଚାକିରି କରୁଥିଲେ । ୧୯୩୦ ମସିହାର ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ସରକାରୀ ଚାକିରି ଛାଡିବା ପାଇଁ ଆହ୍ୱାନ ଦେଇଥିଲେ । ଫଳରେ ନସିଂହ ଗୁରୁ ସମ୍ବଲପୁର ପୌର ପରିଷଦ କାର୍ଯ୍ୟାଳୟରେ କରୁଥିବା ଚାକିରିରୁ ଇସ୍ତଫା ଦେଇ ଆଇନ ଅମାନ୍ୟ ଆନ୍ଦୋଳନରେ ସମ୍ବଲପୁର ଓ ଆଖପାଖ ଅଞ୍ଚଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଗିରଫ ହୋଇଥିଲେ । ଏହାବ୍ୟତୀତ ବିଭିନ୍ନ ସମୟରେ ସେ ସ୍ୱତନ୍ତ୍ରତା ଆନ୍ଦୋଳନରେ ସକ୍ରିୟ ଭାଗ ନେଇ ଗିରଫ ହୋଇଥିଲେ ।

ନିଶା ନିବାରଣ: ନିରଳସ-ନିପୁଣ-ନିୟାମକ
ନିଶା ନିବାରଣ ଆନ୍ଦୋଳନରେ ସ୍ୱର୍ଗତ ଗୁରୁଙ୍କ ଭୂମିକା ମଧ୍ୟ ଥିଲା ଅବିସ୍ମରଣୀୟ । ସେ ପ୍ରବଳ ଭାବରେ ଏହି ମଦ ବିରୋଧୀ ଅଭିଯାନକୁ ଏକ ସକ୍ରିୟ ଆନ୍ଦୋଳନର ରୂପ ଦେଇଥିଲେ । ଏହି ଆନ୍ଦୋଳନର ପ୍ରଭାବ ଫଳରେ ନିଶାଖୋର ମାନେ ମଦ ଦୋକାନକୁ ଯିବା ଛାଡିଦେଲେ ଓ ତଦ୍ଦ୍ୱାରା ଅନେକ ସରକାରୀ ସ୍ୱୀକୃତପ୍ରାପ୍ତ ମଦ ଦୋକାନୀ ସେମାନଙ୍କ ସ୍ୱୀକୃତିପତ୍ର ସରକାରଙ୍କୁ ଫେରାଇବାକୁ ବାଧ୍ୟ ହୋଇଥିଲେ । ଏହାର ପରିଣାମ ସ୍ୱରୂପ ମଦ ବିକ୍ରୟରୁ ଲବ୍ଧ ରାଜସ୍ୱ ହ୍ରାସ ପାଇବା କାରଣରୁ ସମ୍ବଲପୁରର ତତ୍କାଳୀନ ଡେପ୍ୟୁଟି କମିଶନର ମଧ୍ୟ ନିଲମ୍ବିତ ହୋଇଥିଲେ । ପଣ୍ଡିତ ଜୱାହାରଲାଲ ନେହେରୁ ସ୍ୱର୍ଗତ ଗୁରୁଙ୍କ ଏହି କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ ।

ସୁସ୍ପଷ୍ଟ ସାମ୍ବାଦିକତା: ସତତ-ସମ୍ମୁଜ୍ଜ୍ୱଳ-ସ୍ୱାକ୍ଷର
ସ୍ୱାଧୀନତ୍ତୋର କାଳରେ ନୃସିଂହ ଗୁରୁ ନିଜକୁ ରାଜନୈତିକ କାର୍ଯ୍ୟକଳାପରୁ ଦୂରେଇ ରଖି ସାମ୍ବାଦିକତାକୁ ବୃତ୍ତିଭାବରେ ଆପଣେଇ ଥିଲେ । ସେ ଅର୍ଥ ଉପାର୍ଜନ ନିମନ୍ତେ ନୁହେଁ ବରଂ ଦେଶକୁ ଉଚିତ ମାର୍ଗଦର୍ଶନ ଦେବା ପାଇଁ ସାମ୍ବାଦିକତା ଆରମ୍ଭ କରିଥିଲେ । ସେ ଉତ୍କଳମଣୀ ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ସୁପ୍ରସିଦ୍ଧ ‘ସମାଜ’ ଖବରକାଗଜର ଜିଲ୍ଲା ସମ୍ବାଦଦାତା ଭାବରେ ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ପ୍ରାୟ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ୱ କାଳ କାର୍ଯ୍ୟ କରିଥିଲେ । ସେ ପଶ୍ଚିମ ଓଡିଶାରେ ‘ସମାଜ’କୁ ଜନମାନସର ଏକ ଅନ୍ତରଙ୍ଗ ଖବରକାଗଜ କରାଇବାର ସଫଳ ଉଦ୍ୟୋକ୍ତା ଥିଲେ । ତେଣୁ ପଶ୍ଚିମ ଓଡିଶାର ଘରେ ଘରେ ସେ ‘ସମାଜ’ର ପ୍ରତିନାମ ଭାବରେ ପ୍ରଶଂସିତ ଓ ସମୁଚ୍ଚାରିତ ହେଉଥିଲେ । ଏପରିକି ସାଧାରଣ ଲୋକମାନେ ନୃସିଂହ ଗୁରୁ କହିଲେ ‘ସମାଜ’ ବୋଲି ଜାଣୁଥିଲେ । ତାଙ୍କର ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱ ନିରପେକ୍ଷ ସାମ୍ବାଦିକତାର ପ୍ରଶସ୍ତ ଅବଧି ମଧ୍ୟରେ କଦାପି ଗୋଟିଏ ବି ଖବର ମିଥ୍ୟା ବା କପୋଳକଳ୍ପିତ ବୋଲି ପ୍ରମାଣିତ ହୋଇ ନ ଥିଲା । ୧୯୩୭ ମସିହାରେ ନୃସିଂହ ଗୁରୁ ‘ଆସୋସିଏଟେଡ ପ୍ରେସ୍ ଅଫ୍ ଇଣ୍ଡିଆ’, ଯାହାକି ପରବର୍ତ୍ତୀ ସମୟରେ ‘ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ’ (ପି.ଟି.ଆଇ) ନାମରେ ପରିଚିତ ହେଲା, ତାହାର ସମ୍ବାଦଦାତା ଭାବରେ ଯୋଗ ଦେଇ ଦୀର୍ଘ ୨୦ ବର୍ଷ ଧରି କାର୍ଯ୍ୟ କରିଥିଲେ । ଏହାଛଡା କିଛିଦିନ ପାଇଁ ସେ ସମ୍ବଲପୁରରୁ ପ୍ରକାଶିତ ‘ଜାଗରଣ’ର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ । ଥରେ ହୀରାକୁଦ ବନ୍ଧ ନିର୍ମାଣ ହେଉଥିବା ବେଳେ ବୁର୍ଲାର ଡ୍ୟାମ ସାଇଟରେ ଏକ ଦୁର୍ଘଟଣା ଯୋଗୁଁ ଦଶ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶହେରୁ ଅଧିକ ଶ୍ରମିକ ଆହତ ହୋଇଥିଲେ । ନୃସିଂହ ଗୁରୁ ଏହି ଘଟଣା ଜାଣିବା ମାତ୍ରେ, ତାଙ୍କ ପୁରୁଣା ସାଇକେଲରେ (ସେ ସମୟରେ ଅନ୍ୟ କୌଣସି ଗମନାଗମନ ସୁବିଧା ନ ଥିଲା) କୋଡିଏ କିଲୋମିଟର ଦୂରତା ଅତିକ୍ରମ କରି ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ । ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସେ ସମ୍ବଲପୁରକୁ ଫେରି ଆସି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଆହତ ବ୍ୟକ୍ତି ମାନଙ୍କଠାରୁ ତଥ୍ୟ ସଂଗ୍ରହ କରିଥିଲେ । ତାପରେ ସେ ଏହି ଘଟଣାର ସବିଶେଷ ବିବରଣୀ କଟକ ‘ପ୍ରେସ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ’ ମ୍ୟାନେଜର ଏନ୍‌.ଆର୍ ସ୍ୱାମୀଙ୍କୁ ପ୍ରେରଣ କରିଥିଲେ । ଉକ୍ତ ସମ୍ବାଦଟି ସେହିଦିନ ସଂଧ୍ୟାରେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହୋଇଥିଲା । ଅନ୍ୟ ଏକ ଘଟଣାରେ ହୀରାକୁଦ ଡ୍ୟାମ୍ ପ୍ରକଳ୍ପର ତତ୍କାଳୀନ ଜମି ଅଧିଗ୍ରହଣ ଅଧିକାରୀ ସୁର୍ଯ୍ୟ କୁମାର ପୂଜାରୀ ଏବଂ ସମ୍ବଲପୁରର ତତ୍କାଳୀନ ଉପ-ଆରକ୍ଷୀ ଅଧୀକ୍ଷକ ଶ୍ୟାମ ସୁନ୍ଦର ପାଢୀ ମୋଟର ଡଙ୍ଗାରେ ନଦୀ ପାର୍ ହେଉଥିବାବେଳେ ଦୁର୍ଘଟଣାର ଶିକାର ହୋଇ ଏକ ପଥର ଉପରେ ଫସି ରହିଥିଲେ । ସେମାନଙ୍କୁ ରାତି ସାରା ସେହି ପଥର ଉପରେ କଟାଇବାକୁ ପଡିଲା ଏବଂ ପରଦିନ ସକାଳୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ନୃସିଂହ ଗୁରୁ ତୁରନ୍ତ ଘଟଣାସ୍ଥଳରୁ ଏହି ଖବର ସଂଗ୍ରହ କରି ସେହି ଦିନ କଟକକୁ ପଠାଇଲେ । ଏଥିପାଇଁ ନୃସିଂହ ଗୁରୁଙ୍କୁ ପି.ଟି.ଆଇର ଉଚ୍ଚ କର୍ତ୍ତୃପକ୍ଷ ପ୍ରଶଂସା କଲେ ଏବଂ ପରବର୍ତ୍ତୀ ସମୟରେ ଏହି ସମ୍ବାଦ ପାଇଁ ସଂସ୍ଥା ପକ୍ଷରୁ ପୁରସ୍କୃତ କଲେ । ୧୯୬୫-୬୬ ମସିହାରେ ନୂଆପଡା ଓ ପାଇକମାଲ ଅଞ୍ଚଳରେ ଉତ୍କଟ ମରୁଡି ପଡିଥିଲା । ନୃସିଂହ ଗୁରୁ ନିଜେ ସମସ୍ତ ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା, ଅନାହାର ମୃତ୍ୟୁ ଏବଂ ମରୁଡି ମୁକାବିଲାରେ ସରକାରଙ୍କ ଅପାରଗତାକୁ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କଲେ । ଏହି ସମ୍ବାଦଟି ପର ଦିନ ‘ସମାଜ’ରେ ପ୍ରକାଶ ପାଇବା ପରେ ଓଡିଶା ବିଧାନସଭା ଗୃହରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ଶାସକ ଦଳ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ । ଫଳରେ ସରକାର ତତ୍ପରତା ପ୍ରକାଶ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଥିଲେ, ଯାହାକି ମରୁଡି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ଦୂର କରିବାରେ ବେଶ ସହାୟକ ହୋଇଥିଲା । ଏହି ପ୍ରଲମ୍ବିତ ସାମ୍ବାଦିକତା ଜୀବନ କାଳରେ ସେ ଥିଲେ ଅଜାତଶତ୍ରୁ ଓ ବିନମ୍ର ଶାନ୍ତ ଶିଷ୍ଟ ସ୍ଵଭାବର ବ୍ୟକ୍ତିତ୍ୱ । ଜଣେ ନିର୍ଭିୀକ ସାମ୍ବାଦିକ ଭାବରେ ଅନେକ ସମୟରେ ଜୀବନର ବାସ୍ତବ ସ୍ୱାଦ ଚାଖିଥିଲେ ସୁଦ୍ଧା ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହରେ ସେ ଥିଲେ ପ୍ରଚଣ୍ଡ ସାହସୀ ଓ ସୁଦୃଢ ମନା । ସମ୍ବାଦ ପ୍ରସ୍ତୁତିରେ ସେ ଏତେ ନିପୁଣ-ନିଖୁଣ ନିରପେକ୍ଷ ଥିଲେ ଯେ, ବିଭିନ୍ନ ସମୟରେ ତାଙ୍କ ଖବର ଆଧାରରେ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ ପାରିଥିଲେ ।

ଆଲୋକରୁ ଅନ୍ଧକାର: ଆଦର ଓ ଆନନ୍ଦର ଅମୃତାଂଶୁ
୧୯୦୨ ମସିହା ଫାଲ୍‌ଗୁନ ପୂର୍ଣ୍ଣିମାରେ ଭାରତମାତାର ମୁଖମଣ୍ଡଳକୁ ଗୁଣଚନ୍ଦ୍ରିକାରେ ଉଦ୍ଭାସିତ କରି ୧୯୮୪ ମସିହା ଜାନୁଆରୀ ୨ ତାରିଖ ବକୁଳ ଅମାବାସ୍ୟା ତିଥିରେ ୮୨ ବର୍ଷ ବୟସରେ ଭାରତମାତାର ଏହି କୁଳ ଚନ୍ଦ୍ରମା ନିର୍ବାଣର ଅନ୍ଧକାରରେ ଅନ୍ତର୍ହିତ ହୋଇଥିଲେ । ପୂର୍ଣ୍ଣିମାର ଆଲୋକରେ ଆସି ଜୀବନାବଧି ସଂସ୍କାର-ସେବା-ସଂଗ୍ରାମର ଆଲୋକ ବାଣ୍ଟି ବାଣ୍ଟି ଅମାବାସ୍ୟାର ଅନ୍ଧାରରେ ଫେରିଗଲେ ପରଲୋକକୁ । ଆକୃତି ନ ଥିଲେ ବି ଆଜି ତାଙ୍କର ସୁକୃତିର ଅମୃତମୟୀ ସ୍ମୃତି ନିଷ୍କଳଙ୍କ ଚନ୍ଦ୍ରଭଳି ପ୍ରତିହୃଦୟାକାଶକୁ ଆଲୋକିତ ଓ ଆହ୍ଲାଦିତ କରୁଛି ।

ଗାନ୍ଧିବାଦର ଗୌରବ ଓ ସୌରଭ: ଗୁରୁ ମହାତ୍ମା
ନିଚ୍ଛକ ଗାନ୍ଧିପ୍ରେମୀ ହୋଇ ଗାନ୍ଧିଜୀଙ୍କ ଆଦର୍ଶ-ଶିକ୍ଷା-ସଂସ୍କାରକୁ ବାସ୍ତବତାର ରୂପ ଦେଇ ଗାନ୍ଧିବାଦର ମୂର୍ତ୍ତିମନ୍ତ ପ୍ରତୀକ ଭାବରେ ସମଗ୍ର ଜୀବନର କଙ୍କରିଳ ମାର୍ଗରେ ଅନୁକ୍ଷଣ ଆଗୁସର ହୋଇଥିବା ସ୍ୱର୍ଗତ ଗୁରୁ ଯଥାର୍ଥରେ ‘ପଶ୍ଚିମ ଓଡିଶାର ଗାନ୍ଧୀ’ ଥିଲେ, ଏହା ଅନସ୍ୱୀକାର୍ଯ୍ୟ ।