ନୃସିଂହ ଗୁରୁ: ପଶ୍ଚିମ ଓଡ଼ିଶାର ଗାନ୍ଧୀ
‘ପଶ୍ଚିମ ଓଡିଶାର ଗାନ୍ଧୀ’ ଭାବେ ଜଣାଶୁଣା ନୃସିଂହ ଗୁରୁ ଏକାଧାରରେ ଥିଲେ ଜଣେ ସମର୍ଥ ସ୍ୱାଧୀନତା ସଂଗ୍ରାମୀ, ସମାଜ ସଂସ୍କାରକ, ଖାଣ୍ଟି ଗାନ୍ଧିବାଦୀ ଓ ଉଚ୍ଚକୋଟିର ସାମ୍ବାଦିକ । ୧୯୦୨ ମସିହା ମାର୍ଚ୍ଚ ୨୪ ତାରିଖ ଫାଲଗୁନ ପୂର୍ଣ୍ଣିମା ତିଥିରେ ଏହି ମହାନ ପ୍ରତିଭାଧର ସମ୍ବଲପୁରର ଶାସନ ଥାନା ଅନ୍ତର୍ଗତ ଏକ ନିପଟ ମଫସଲ ଗାଁ ‘ଗୁରୁପାଲି’ ଠାରେ ଜନ୍ମଗ୍ରଣ କରିଥିଲେ ଏବଂ ୧୯୮୪ ମସିହା ଜାନୁଆରୀ ୨ ତାରିଖ ବକୁଳ ଅମାବାସ୍ୟା ତିଥିରେ ଇହଲୀଳା ସମ୍ବରଣ କରିଥିଲେ । ସେ ଜୀବାନାବଧି କାହାରିଠାରୁ କିଛି ନେବାର ମାନସିକତା ତିଳେ ସୁଦ୍ଧା ରଖି ନ ଥିଲେ; ବରଂ ମାନବ ସମାଜକୁ କେବଳ ମାତ୍ର ଦେବା ହିଁ ତାଙ୍କର ବ୍ରତ ଥିଲା । ସେ କଦାପି ଯଶପଛରେ ଦଉଡି ନ ଥିଲେ ବରଂ ଯଶ ଓ କୀର୍ତ୍ତି ସ୍ୱତଃ ତାଙ୍କ ଉଚ୍ଚାଙ୍ଗ-ପ୍ରତିଭାର ଅନୁସରଣ କରିଥିଲେ ।
ଗାନ୍ଧିବାଦର ଗଭୀର ଦର୍ଶନରେ ଅନୁପ୍ରାଣୀତ ହୋଇ ସ୍ୱର୍ଗତ ଗୁରୁ ପାର୍ଥିବ ବସ୍ତୁବାଦର ଆସକ୍ତିଠାରୁ ଯଥେଷ୍ଟ ଦୂରରେ ଥିଲେ । ମହାତ୍ମା ଗାନ୍ଧୀଙ୍କ ଜନୈକ ଶୃଙ୍ଖଳିତ ଶିଷ୍ୟ ହେବାର ନିଷ୍ପତ୍ତି ନେବା କ୍ଷଣି, ସେ ଖଦଡ ଧୋତି ଓ ଚାଦର ପିନ୍ଧିବାକୁ ଆରମ୍ଭ କରିଥିଲେ । ତାଙ୍କ ଦେହରେ ଆଣ୍ଠୁ ଲୋଚା ଧୋତି ଓ ଛାତିରେ ଖଦଡ ଚାଦର ରହିଥିବାବେଳେ ବାମ କାନ୍ଧରେ ଖଦି ମୁଣିଟିଏ ସବୁବେଳେ ଝୁଲୁଥିଲା । ଗାନ୍ଧିଜୀଙ୍କ ସ୍ୱଦେଶୀ ନିୟମର ନିଷ୍ଠାପର ଅନୁପାଳନକାରୀ ଭାବରେ ସେ ବିଦେଶରୁ ଆମଦାନୀ ହେଉଥିବା ଚିନି ନ ଖାଇ ଆଖୁରୁ ପ୍ରସ୍ତୁତ ଦେଶୀ ଦୁଡ ଖାଇବା, ଯନ୍ତ୍ର ନିର୍ମିତ ଛତା ପରିବର୍ତ୍ତେ ତାଳପତ୍ର ଛତା ବ୍ୟବହାର କରିବା, ବିନା ଜୋତା-ଚପଲରେ ଖରା ବର୍ଷା ଶୀତ ନିର୍ବିଶେଷରେ ସବୁ ଋତୁରେ ଖାଲି ପାଦରେ ଯାତ୍ରା କରିବାର କଠିନ ବ୍ରତକୁ ସାରାଜୀବନ ଆପଣେଇଥିଲେ ।